
ପଟ୍ଟାମୁଣ୍ଡାଇ ୧୭/୨ – ଦେଶ ସ୍ୱାଧିନତା ପରେ ଓଡିଶାର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନ ମଧ୍ୟରୁ ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀ ଗୁରୁତ୍ୱ ବହନକରି ଆସୁଥିଲା । ୨୦୦୮ରେ ସୀମା ନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ବାଦ୍ ଦିଆଯାଇ ଭାଗଭାଗ କରି ଅନ୍ୟ ତିନି ନିର୍ବାଚନ ମଣ୍ଡଳୀରେ ମିଶାଇ ଦିଆଗଲା । ଫଳରେ ସ୍ୱାଭୀମାନୀ ପଟ୍ଟାମୁଣ୍ଡାଇ ବାସୀଙ୍କ ଭାବାବେଗ ଉପରେ ଶକ୍ତ ଆଘାତ ଲାଗିଥିଲା । ଯାହାକୁନେଇ ପଟ୍ଟାମୁଣ୍ଡାଇର ବିଭିନ୍ନ ସଙ୍ଗଠନ ପକ୍ଷରୁ ସେତେବେଳେ ଧାରଣା, ଅନଶନ କରାଯାଇଥିଲା । ହେଲେ କିଛି ଫଳପ୍ରଦ ହୋଇନଥିଲା । ସେବେଠାରୁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳ ଉଭୟ ନିର୍ବାଚନମଣ୍ଡଳୀର ରାଜନୈତିକ ପଶାପାଲିରେ ପେସି ହୋଇ ନିଜର ସ୍ୱାଭିିମାନ ହରାଇଚାଲିଥିବା ବେଳେ ଅବହେଳିତ ହୋଇ ପଡିଛି । ମାତ୍ର ଆଗାମି ୨୦୨୬-୨୭ରେ ଓଡିଶାରେ ଡିଲିମିଟେସନ ପ୍ରକିୟା ଆରମ୍ଭ ହେବାକୁଥିବା ବେଳେ ପଟ୍ଟାମୁଣ୍ଡାଇକୁ ପୁନଃ ବିଧାନସଭା ଆସନ ମାନ୍ୟତା ଦାବି ଜୋର ଧରିବାରେ ଲାଗିଲାଣି । ଏଥିନେଇ ପଟ୍ଟାମୁଣ୍ଡାଇ ସ୍ୱାଭିମାନୀ ମଂଚ ଘରେଘରେ ପହଁଚି ତାର ପରିଚୟ ଫେରାଇବା ପାଇଁ ଅଭିଯାନ ଜାରି ରଖିବ ବୋଲି ମଂଚର ସଦସ୍ୟ ମାନେ କହିଛନ୍ତି । ସେମାନେ କୁହନ୍ତି ସବୁ ଦୃଷ୍ଟିରୁ ପଟ୍ଟାମୁଣ୍ଡାଇ ବିଧାନସଭା ଆସନ ହେବାର ଯୋଗ୍ୟତା ରଖିଛି । ଭୌଗଳିକ, ସାମାଜିକ, ଅର୍ଥନୈତିକ, ରାଜନୈତିକ ବାସ୍ତବତାକୁ ଦେଖିଲେ ପଟ୍ଟାମୁଣ୍ଡାଇ ହିଁ ପୁନର୍ବାର ଏକ ବିଧାନସଭା ଆସନ ହେବା ସହିତ ସବଡିଭିଜନ ହେବାର ଯଥାର୍ଥତା ବହନ କରୁଛି । ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡା ଜିଲାର ଏକ ପ୍ରସିଦ୍ଧ ବାଣିଜ୍ୟିକ ସହର, ଏବଂ ସର୍ବ ପୂରାତନ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିଲା । ମୋଗଲ ସାମ୍ରାଜ୍ୟ ସମୟରେ ଏହି ସହର ଐତିହାସିକ ଖ୍ୟାତି ହାସଲ କରିଥିବା ବେଳେ ଏକ ପ୍ରାଚୀନ ବାଣିଜ୍ୟ ନଦୀ ବନ୍ଦର ଥିଲା । ୧୯୦୮ ମସିହାରେ ପଟ୍ଟାମୁଣ୍ଡାଇରେ ସବ-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ଖୋଲାଯାଇଥିଲା। ୧୯୯୪ ମସିହା ପର୍ଯ୍ୟନ୍ତ କେନ୍ଦ୍ରାପଡା ସବଡିଭିଜନ ପଟ୍ଟାମୁଣ୍ଡାଇ ବିଧାନସଭା ଆସନ କଟକ ଜିଲ୍ଲାର ଏକ ଅଂଶଥଲା । ୧୯୯୪ ରେ ସ୍ୱର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୩୦ଟି ଜିଲ୍ଲା ଗଠନ କରିଥିବା ବେଳେ ଉପଖଣ୍ଡ କେନ୍ଦ୍ରାପଡାକୁ ଜିଲାର ମନ୍ୟତା ଦେଇଥିଲେ । ଏବଂ ପଟ୍ଟାମୁଣ୍ଡାଇକୁ ଉପଖଣ୍ଡ ମାନ୍ୟତାଦେବାର ବ୍ୟବସ୍ଥା କରାଯାଉଛି ବୋଲି ସ୍ୱର୍ଗତ ବିଜୁ ବାବୁ କହିଥିଲେ । ପଟ୍ଟାମୁଣ୍ଡାଇକୁ ସବଡିଭିଜନର ମାନ୍ୟତା ପାଇଁ ବିଧାନସଭାରେ ଅନେକଥର ପ୍ରଶ୍ନ କାଳରେ ବିଚରାଧିନ ଥିବା କୁହାଯାଇଛି । କିନ୍ତୁ ଉପଖଣ୍ଡ କରାଇବା ତ ଦୁରର କଥା ପଟ୍ଟାମୁଣ୍ଡାଇ ବିଧାନସଭା ଆସନକୁ ବିଲୋପ କରାଇ ଭାରତ ମାନଚିତ୍ରରୁ ନିଶ୍ଚିହ୍ନ କରାଇଦିଆଗଲା । ଯାହା ଅଂଚଳବାସୀଙ୍କ ମନକୁ ଶକ୍ତ ଆଘାତ ଦେଇଛି । ୨୦୧୧ ମସିହା ଜନଗଣନା ତଥ୍ୟ ଅନୁଯାୟୀ, ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରପରିଷଦର ଜନସଂଖ୍ୟା ୨ ଲକ୍ଷ ୧୯ ହଜାର ୬୫୦ ହୋଇଥିବା ବେଳେ ପାଖ ଆଳି ବ୍ଲକର ୧ ଲକ୍ଷ ୩୭ ହଜାର ୮୦୦, ରଜକନିକା ବ୍ଲକ ୧ ଲକ୍ଷ ୪୦ ହଜାର ୮୦୭, କେନ୍ଦ୍ରାପଡା ୨ଲକ୍ଷ ୫ ହାଜାର ୯୯୧ ଏବଂ ରାଜନଗର ୧ ଲକ୍ଷ ୬୩ ହଜାର ୪୫୦ ଜନସଂଖ୍ୟା ରହିଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇର ଜନସଂଖ୍ୟା ସମସ୍ତ ବ୍ଲକ ଠାରୁ ଅଧିକ ଥିବା ବେଳେ କାହିଁକି ପଟ୍ଟାମୁଣ୍ଡାଇକୁ ଅଣଦେଖ କରାଯାଇ ବଧାନସଭା ଆସନକୁ ହଟାଇ ଦିଆଗଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇର ସାମାଜିକ ଚଳଣି ସହ ପ୍ରଶାସନିକ ଓ ଭୌଗୋଳିକ ସ୍ଥିତିକୁ ଅନୁଧ୍ୟାନ କରାଯାଇ ଆଗାମୀ ସୀମା ପୂନଃ ନିଦ୍ଧାରଣ ସମୟରେ ପଟ୍ଟାମୁଣ୍ଡାଇର ପୁରୁଣା ପରିଚୟ ଫେରାଇ ବିଧାନସଭା କ୍ଷେତ୍ର ଗଠନ କରାଇବା ଜରୁରୀ ହୋଇପଡିଛି। ଏନେଇ ରାଜ୍ୟ ସରକାର ତୁରନ୍ତ ଏଠାରେ ଉପଖଣ୍ଡ ଗଠନ କରାଇ ଘୋଷଣା କଲେ ରାଜସ୍ୱ କ୍ଷେତ୍ରରେ ଲାଭବାନ ହେବା ସହ ଚାଷୀ, ଶ୍ରମିକ, ଜନସାଧାରଣ ମଧ୍ୟ ଉପକୃତ ହୋଇପାରିବେ ବୋଲି ପଟ୍ଟାମୁଣ୍ଡାଇ ସ୍ୱାଭିମାନୀ ମଂଚ ସଭାପତି ଆଇନଜିବୀ କ୍ଷୀରୋଦ ପ୍ରଧାନ, ଉପସଭାପତି ରମେଶ ଦେ, ସଂପାଦକ ପ୍ରବୀର ନାୟକ, ଉପଦେଷ୍ଟା ଶିକ୍ଷାବିତ ପ୍ରଫୁଲ୍ଲ ଦାଶ, ସୌମ୍ୟରଞନ ଧଳ, ଅନନ୍ତ ଦାଶ, ଭବାନୀ ଶଙ୍କର ପଣ୍ଡା ପ୍ରମୁଖ ଦାବୀ କରିଛନ୍ତି । ସେହିପରି ଜନଶକ୍ତି ପାଟିର ରାଜ୍ୟ ସଭାପତି ପ୍ରଦୀପ ଦାଶ କହିଛନ୍ତି ପଟ୍ଟାମୁଣ୍ଡାଇର ସ୍ଭୀମାନ ଫେରାଇବା ପାଇଁ ଜନଶକ୍ତି ପାଟି ପକ୍ଷରୁ ଘରେଘରେ ଦସ୍ତଖତ ଅଭିଯାନ ଜାରି କରାଯିବା ବୋଲି କହିଛନ୍ତି ।
Discover more from
Subscribe to get the latest posts sent to your email.