
କେନ୍ଦ୍ରାପଡ଼ା,୧୦ା୪:କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କୁ ଧମକ ଦେବା ଓ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ଘଟଣାରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଏକ ସାପ୍ତାହିକ ଖବର କାଗଜ ସମ୍ପାଦକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି।
ଅଭିଯୋଗରୁ ପ୍ରକାଶ ଯେ ଏକ ଖବରକାଗଜରେ ଜିଲ୍ଲା ପରିଷଦ ସଭାପତିଙ୍କ ଫଟୋ ସହିତ ଏକ ସମ୍ମାନହାନୀ ସୂଚକ ଖବର ପ୍ରକାଶ ପାଇଥିଲା। ଏସମ୍ପର୍କରେ ସଭାପତି ସଂପୃକ୍ତ ଖବରକାଗଜର ସମ୍ପାଦକଙ୍କୁ ପଚାରିବାରେ ସେ ସଭାପତିଙ୍କୁ ଧମକ ଚମକ ଦେବା ସହିତ ଜାତିଆଣ ଆକ୍ଷେପ କରି ଗାଳିଗୁଳଜ କରିଥିଲା। ଏସମ୍ପର୍କରେ ସଭାପତି ସୁଶ୍ରୀ ଲିଲିତା ଦାସ କେନ୍ଦ୍ରାପଡା ଟାଉନଥାନାରେ ତା ୧୩. ୦୩.୨୦୨୬ରତିଖରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଉପରେ ଟାଉନଥାନା ପୋଲିସ ପକ୍ଷରୁ ଥାନା କେଶ ନମ୍ବର ୬୦/୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୩୫୬,୩୫୧(୨) ଏବଂ ୩ (ଆଇ) (ଆର. ଆର. ଏସ) ୨ଭିଏ ଏସସି, ଏସଟି ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ଜିଲ୍ଲାର ସର୍ବୋଚ୍ଚ ପଦରେ ଆସିନଥିବା ଜଣେ ମହିଳା ଜନପ୍ରତିନିଧିଙ୍କୁ ଧମକଚମକ ଦେବା ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ଓ ମାନହାନୀ ସୂଚକ ଖବର ପ୍ରକାଶ କରିବା ଭଳି ସଂଗୀନ ଦଫାରେ ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ।
