
କେନ୍ଦ୍ରାପଡ଼ା, ୧୩ା୩: କେନ୍ଦ୍ରାପଡା ସହରର ନୂଆ ବସ୍ଷ୍ଟାଣ୍ଡସ୍ଥିତ ବଡକୋଠା ଠାରେ ଦୋଳ ମେଳଣ ଅନୁଷ୍ଠିତ ହୋଇଯାଇଛି । କାକଟର ରାଧାଗୋବିନ୍ଦଜୀଉଙ୍କ ନିମନ୍ତ୍ରଣରେ ସହର ଓ ଆଖାପାଖ ଅଞ୍ଚଳରୁ ୮ଟି ବିମାନରେ ରାଧାଗୋବିନ୍ଦଜୀଉ ଆସି ବଡକୋଠା ଠାରେ ଏକାଠି ହୋଇ ଭୋଗ ଖାଇଥିଲେ । ପ୍ରଥମେ କାକଟର ରାଧାଗୋବିନ୍ଦଜୀଉ ପୂର୍ବାହ୍ନ ୧୦ଟା ବେଳେ ଆସି ଦୋଳବେଦୀ ଉପରେ ବସିଥିଲେ । ଏହାପରେ ଇଚ୍ଛାପୁରର ରଘୁନାଥଜୀଉ, ଗଣାମାହାଲର ବିନୋଦବିହାରୀଜୀଉ, ବଣିଆମାଳର ତ୍ରିପାଠୀ ସାହି ରାଧାକୃଷ୍ଣ ଓ ନୃସିଂହଜୀଉ, ନାନକାର ପାହାଡପୁରର ନୃସିଂହଜୀଉ ଓ ପଟ୍ଟନାୟକ ସାହିର ରାଧାଗୋବିନ୍ଦ, କାକଟର ରାଧାମାଧବଜୀଉ ସେମାନଙ୍କ ନିଜ ନିଜର ବିମାନରେ ପାରମ୍ପରିକ ବାଦ୍ୟ ସହ ଶୋଭାଯାତ୍ରାରେ ସହର ପରିକ୍ରମା କରି ବଡକୋଠା ମେଳଣ ପଡିଆରେ ଅବସ୍ଥାପିତ ହୋଇଥିଲେ । ପୂର୍ବାହ୍ନ ୩ଟା ବେଳେ ସମସ୍ତ ଠାକୁରଙ୍କୁ ଭୋଗ ଲାଗି କରାଇବା ପରେ ବିମାନଗୁଡିକ ନିଜ ନିଜ ଆସ୍ଥାନକୁ ଫେରିଯାଇଥିଲେ । ଏହି ମେଳଣ ଦେଖିବା ପାଇଁ ସହର ଓ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ବିତ ଶ୍ରୀଚନ୍ଦନ, ତପନ କୁମାର ଦାସ, ବିଶ୍ୱଭୂଷଣ ରାହୁଲ, ମଙ୍ଗଳମ୍ ଦାସ, ରମେଶ ଚନ୍ଦ୍ର ଦାସ ପ୍ରମୁଖ ପରିଚାଳନା କରିଥିଲେ ।
Discover more from
Subscribe to get the latest posts sent to your email.