
ପଟ୍ଟାମୁଣ୍ଡାଇ ୨୮/୨- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଏଲଆଇସି ଅଫିସ ପଛ ଭାଗରେ ପଡିଥିବା ଆବର୍ଜନାରେ ପାଖ ଘରମାଲିକ ଶୁକ୍ରବାର ମଧ୍ୟାହ୍ନରେ ନିଆଁ ଲଗାଇ ଦେବାରୁ ଅଗ୍ନିକାଣ୍ଡ ଘଟି ସହର ଧୁଆଁମୟ ହୋଇଯାଇଥିଲା । ଶୁଖିଲା ଅଳିଆରେ ଅଗ୍ନିକାଣ୍ଡ ଯୋଗୁଁ ନିଆଁ ତୀବ୍ର ବେଗରେ ବ୍ୟାପି ଦୀର୍ଘ ସମୟ ଧରି ଜଳିଥିଲା । ସେଠାକୁ ଲାଗିଥିବା ଦୋକାନ ବଜାର ଓ ଏଲଆଇସି ଅଫିସ ପ୍ରତି ବିପଦ ମାଡି ଆସିିଥିଲା ।ଏହି ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇ ନଥିବା ଖବର ମିଳିଥିବା ବେଳେ ସ୍ଥାନୀୟ ଦୋକାନୀମାନେ ନିଆଁକୁ ଆୟତ କରିନେଇଥିଲେ । ହେଲେ ନିଆଁ ଲଗାଇଥିବା ଘରମାଲିକକୁ ଲୋକେ ଗାଳିଗୁଲଜ କରିଥିବା ଦେଖିବାକୁ ମିଳିଥିଲା । ତେବେ ପୌରାଂଚଳରେ ପଡିଥିବା ଅଳିଆକୁ ବାହାରେ ନିଆଁ ଲଗାଇ ଜାଳିବା ଆଇନ ଅନୁଯାୟୀ ନିଷିଦ୍ଧ ବୋଲି ସହରର କାନ୍ଥବାଡରେ ଲେଖା ହୋଇଛି। ହେଲେ ପୌରକାର୍ଯ୍ୟାଳୟର ମାତ୍ର ୧୦୦ ମିଟର ଦୂରରେ ଏଭଳି ଘଟଣା ଘଟିଥିବାରୁ ପୌରପରିଷଦ କାର୍ଯ୍ୟଶୌଳୀ ଉପରେ ପଶ୍ନ ବାଚ୍ଚୀ ସୃଷ୍ଠି କରଥିବା ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତାଗିଦକୁ ମଧ୍ୟ ବେଖାତିର କରୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ଯୁବନେତା ସତ୍ୟପ୍ରୀୟ ସାମଲ କୁହନ୍ତି ସହରର ସ୍ୱଚ୍ଛ ଓ ସୁସ୍ଥ ପରିମଳ ପ୍ରତ୍ୟେକ ସ୍ୱାୟତ ଶାସନ ସଂସ୍ଥାର ମୌଳିକ ଦାୟିତ୍ୱ। ପଟ୍ଟାମୁଣ୍ଡାଇର ୨୦ ୱାର୍ଡକୁ ନେଇ ଗଠିତ ପୌରାଂଚଳର ବେସରକାରୀ ଭାବେ ଲୋକସଂଖ୍ୟା ଦେଢଲକ୍ଷ ଛୁଇଁଲାଣି। ପ୍ରତ୍ୟହ ସହରରୁ ଅତି କମ୍ରେ ୩୦ ଟନ ଆବର୍ଜନା ବାହାରୁଛି। ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁସାରେ ଏହି ଆବର୍ଜନାର ପରିଚାଳନା ପାଇଁ ରାଜ୍ୟ ସରକାର ଏକ ସମ୍ପଦ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ସହରର ସମେତ ୨୦ଟି ଯାକ ୱାର୍ଡର ଆବର୍ଜନା ଉଠାଇବା ଦାୟିତ୍ୱ ଇନଭରସାଲ ନାମକ ଏକ ବେସରକାରୀ ସଂସ୍ଥାକୁ ଠିକା ଦିଆଯାଇଛି। ସମ୍ପୃକ୍ତ ଠିକା ସଂସ୍ଥା ସହରର ଆବର୍ଜନା ଏଣେତେଣେ ଗଦା କରୁଛି। ଫଳରେ କେତେକ ଦୋକାନୀ ସେହି ଅବର୍ଜନାକୁ ଉଠାଇ ଖାଲୁଆ ସ୍ଥାନରେ ପକାଇ ଦିଅନ୍ତି । ଶୁକ୍ରବାର ଏଲଆଇସି ଅଫିସ ପଛଭାଗରେ ପଡିଥିବା ଆଳିଆରେ ପାଖ ଘରମାଲିକର କେତେଜଣ ଲୋକ ନିଆଁ ଲାଗାଇଦେଇଥିଲେ। ନିଆଁ ଖୁବ ଜେରରେ ଜଳିବା ଦେଖି ସ୍ଥାନୀୟ ଦୋକାନୀ ମାନେ ଏକ ଦୋକାନୀର ମଟର ଚଳାଇ ବୋରିଂରୁ ପାଣି ମାରିବାରୁ ନିଆଁ ଆୟତ ହୋଇଥିଲା । ତେବେ ଏଲଆଇସି ଅଫିସ ପାଖରେ ଏଭଳି ନିଆଁ ଲାଗିଥିବା ଘଟଣା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅଶୋକ ଲେଙ୍କା କୁହନ୍ତି ପଟ୍ଟାମୁଣ୍ଡାଇରେ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା କାରାଯାଇନାହିଁ । ମାଳ ମାଳ ଅଳିଆ ଉଠା ଗାଡ଼ି ସହ ଲୋକବଳ ରହିଥିଲେ ମଧ୍ୟ ସଫେଇ ଠିକ୍ ଭାବେ କରାଯାଉ ନାହିଁ। ଅନେକ ସମୟରେ ସଫେଇ କର୍ମଚାରୀମାନେ ଅଳିଆ ସ୍ଥାନାନ୍ତର ନ କରି ସେଥିରେ ନିଆଁ ଲଗାଇ ଦେଉଛନ୍ତି। ଫଳରେ ବିଷାକ୍ତ ଧୂଆଁର ବଳୟ ସହରବାସୀଙ୍କୁ ଅଣନିଃଶ୍ୱାସୀ କରିଦେଉଥିବା ଅଭିଯୋଗ ହେଉଛି।
ଦୋକାନୀ ଭୋଲାନାଥ ବାରୀକ କୁହନ୍ତି କାନ୍ଥବାଡରେ ସ୍ୱଚ୍ଛ ପରିମଳ ପାଇଁ ବିଭିନ୍ନ ନିୟମ ପାଳନ କରିବାକୁ ଅର୍ଥ ଖର୍ଚ୍ଚ କରି ବହୁ ସଚେତନତାର ବାର୍ତା ଲେଖାଯାଉଛି। ଉଲ୍ଲଂଘନକାରୀଙ୍କୁ ଜାତୀୟ ସବୁଜ ପ୍ରାଧିକରଣଙ୍କ ଦ୍ୱାରା ୫ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ଦର୍ଶାଯାଇଛି। ହେଲେ ପୌରପରିଷଦ ପକ୍ଷରୁ ନିୟମକୁ ପାଳନ କରାଯାଉନାହିଁ କି ଆଇନର ଉଲ୍ଲଂଘନକାରୀଙ୍କ ବିରୋଧରେ ଜରିମାନା ମଧ୍ୟ କରାଯାଉନାହିଁ ।
ଉପେନ୍ଦ୍ର ନାୟକ କୁହନ୍ତି ପରିମଳ ବ୍ୟବସ୍ଥା ପାଇଁ ନିୟୋଜିତ ଠିକାସଂସ୍ଥାକୁ ସରକାରୀ ଭାବେ ମାସକୁ ପ୍ରାୟ ୨୫ ଲକ୍ଷ ଟଙ୍କା ଦିଆଯାଉଛି। ଏହାବାଦ ରାସ୍ତାକଡ଼ରୁ ମଇଳା ନ ଉଠିବା, ଡ୍ରେନ୍ ସଫା ନ ହେବା ଯୋଗୁ ମଶାଙ୍କ ପ୍ରାଦୁର୍ଭାବ ଚରମସୀମାରେ ପହଁଚିଛି। ପୌର ପରିଷଦ ତରଫରୁ ନିୟୋଜିତ ସଂସ୍ଥା ଦ୍ୱାରା କୌଣସି ମଶାମରା ଔଷଧ ବ୍ୟବହାର ହେଉନାହିଁ। ପ୍ରାୟ ୬ ମାସ ହେବ ସହରର ଅଧିକାଂଶ ଡ୍ରେନ ସଫା ହୋଇନାହିଁ। ଡ୍ରେନରେ ଆବଶ୍ୟକ ମଶାତେଲ ସିଂଚନ କରାଯାଉନାହିଁ। ଏଥିପାଇଁ ଆସୁଥିବା ଅନୁଦାନକୁ ଠିକାସଂସ୍ଥା ଓ ପୌର କତୃପକ୍ଷ ମିଳିମିଶି ଚଳୁ କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ସେହିପରି ବହୁ ବ୍ୟବସାୟୀ ଦୋକାନରୁ ବାହାରୁଥିବା ଆବର୍ଜନା ସଫେଇ କର୍ମଚାରୀଙ୍କୁ ହସ୍ତାନ୍ତର ନ କରି ପୋଡ଼ି ଦେଉଥିବା ଚିତ୍ର ମଧ୍ୟ ନଜରକୁ ଆସୁଛି। ପୌରପାଳିକା ପକ୍ଷରୁ ଏ ନେଇ ତାଗିଦ୍ କରିବା କି ଜରିମାନା ଆଦାୟ କରାଯାଉ ନ ଥିବାରୁ ଏହି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଘଟଣା ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ କହିଛନ୍ତି, ଏ ନେଇ ସଚେତନ ସହ ତାଗିଦ୍ କରାଯାଉଛି। ଆଗକୁ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Discover more from
Subscribe to get the latest posts sent to your email.