
କେନ୍ଦ୍ରାପଡ଼ା,୨୫ା୭:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଦୁଇଟି ଭଜନ ବାହୁଡାଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପିତ ହୋଇଯାଇଛି। ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ବଳିଷ୍ଠ ସ୍ୱର ସଂଯୋଜନାରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଏବଂ ଅନ୍ତରା ଚକ୍ରବର୍ତ୍ତୀଙ୍କ ସୁମଧୁର କଣ୍ଠରେ ‘ରଥରେ ବସିଛି ବଳିଆ ସାଆନ୍ତ ଓ ରଥେ ହଳଧର’ ଭଜନରେ ଗୀତିକାର ସୁବାସ ପାତ୍ର ଗୀତ ରଚନା କରିଥିବା ବେଳେ ଶରତ ପଟ୍ଟନାୟକ ପ୍ରଯୋଜନା କରିଛନ୍ତି। ଏମ.ପି. କ୍ରିଏସନ ଦ୍ୱାରା ମୁକ୍ତିଲାଭ କରିଥିବା ଗୀତ ଦୁଇଟି ଓଡିଶାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଭାବର ଆବେଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ଅବସରରେ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ମଞ୍ଚରେ କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତଥା ବିଶିଷ୍ଟ ସଂଗୀତଜ୍ଞ ଜ୍ୟୋତିରଞ୍ଜନ ଗୋଡା ମୁଖ୍ୟଅତିଥି, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୂବନ ଜୟସିଂ, ବିଶିଷ୍ଟ କବି ଅଶୋକ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କେନ୍ଦ୍ରାପଡା ବଳଦେବ ସଂସ୍କୃତି ପରିଷଦ ପକ୍ଷରୁ ଗୀତର ପ୍ରଯୋଜକ ଶରତ ପଟ୍ଟନାୟକଙ୍କୁ ତୁଳସୀକ୍ଷେତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କେନ୍ଦ୍ରାପଡାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳାମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ସିଦ୍ଧାର୍ଥ ଟିଭିର ସୁନାମଧନ୍ୟ କଣ୍ଠଶିଳ୍ପୀ ଭାଗ୍ୟଶ୍ରୀ ସାହୁ ଏବଂ ପ୍ଲେବ୍ୟାକ ସିଙ୍ଗର ରୋହିତ ପାତ୍ର ବଳଦେବଙ୍କ ଭଜନ ପରିବେଷଣ କରିଥିଲେ। ଦୂରଦର୍ଶନ ଓ ରେଡିଓ ଚକଲେଟ -୧୦୪ର ସଂଯୋଜକ ସାଇସ୍ୱରାଜ ଶତପଥୀ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ସାମ୍ବାଦିକ ମହେଶ ପାଢୀ ଓ ପ୍ରଦୀପ ବେହେରା ମଞ୍ଚ ପରିଚାଳନା କରିଥିଲେ।
