
ପଟ୍ଟାମୁଣ୍ଡାଇ ୧୭/୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦିନକୁ ଦିନ ସଡକ ଦୁର୍ଘଟଣା ବଢିବଢି ଚାଲିଛି। ସହରାଂଚଳ ରୁ ଗ୍ରାମାଂଚଳକୁ ସଂଯୋଗ କରୁଥିବା ଅନେକ ରାସ୍ତାର ବିଭି୍ନ୍ନ ସ୍ଥାନରେ ଜବରଦଖଲ, ବେଆଇନ ପାର୍କିଂ, ଚଢାଦୋକାନ ଓ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହା ଏବେ ପ୍ରଶାସନର ଚିନ୍ତା ବଢାଇଛି । ପ୍ରତ୍ୟେକ ଦିନ ଏହି ପଥମାନଙ୍କରେ ଛୋଟବଡ ଦୁର୍ଘଟଣା ଘଟି ଧନଜୀବନ କ୍ଷୟକ୍ଷତି ଘଟୁଥିବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ମଧ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ୍ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି ।
ବୁଦ୍ଧିଜିବୀ ଭବାନୀ ଶଙ୍କର ପଣ୍ଡା, ଉପେନ୍ଦ୍ର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ସହର ଅନେକ ସ୍ଥାନରେ ରାସ୍ତା ଉପରେ ବେଆଇନ ପାର୍କିଂ, ବସ୍ ରହଣୀ, ଉଠାଦୋକାନୀଙ୍କ ଯୋଗୁଁ ସଡକ ଅବରୋଧ ହୋଇ ଦୁର୍ଘଟଣା ଘଟୁଛି । ବାଇପାସ ଛକରୁ ପୁରୁଣା ରାଜନଗର ରାସ୍ତାରେ ଉଭୟ ପାର୍ଶ୍ୱରେ ଜବର ଦଖଲ ହୋଇ ପରିବା ମାଛ ଦୋକନ ଲାଗିରହିଥିବା ରୁ ସବୁ ବେଳେ ରାସ୍ତା ଜାମ ରହୁଛି । ପୂର୍ବରୁ ଏହି ଛକରେ ଜବର ଦଖଲ ଉଚ୍ଛେଦ ହୋଇଥିଲା ବେଳେ ଏହା ପୁଣି ଜବର ଦଖଲ ହୋଇ ସାରିଛି । କିଛି ଦୋକାନ ରାସ୍ତା ଉପରେ ସଂଧ୍ୟା ସମୟରେ ଖୋଲୁଛି । ଜବର ଦଖଲ ପାଇଁ ରାସ୍ତା ଜାମ ହେବା ସହିତ ଦୁର୍ଘଟଣା ମଧ୍ୟ ବଢୁଥିବା ଅଭିଯୋଗ ହୋଇଛି । ଆମ୍ବେଡକର ଛକ ଠାରୁ ବସଷ୍ଟାଣ୍ଡ ଦେଇ କଖାରୁଣି ପୋଲ ପର୍ଯ୍ୟନ୍ତ ମାତ୍ର ୪ କିଲୋମିଟର ରାସ୍ତା ଦୀର୍ଘ ତିନି ବର୍ଷ ହେଲାଣି ନିର୍ମାଣ ଚାଲିଛି । ହେଲେ ତାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନି। ବଡ ବଡ ଗଛର ଗଣ୍ଡି ଓ ଗୋଡିବାଲି ରାସ୍ତା କଡରେ ଦୀର୍ଘ ଦିନ ହେଲା ପଡିରହିଛି ।
ସାମାଜିକକର୍ମୀ ପ୍ରବୀର ନାୟକ, କୃତିବାଷ ପ୍ରଧାନ କୁହନ୍ତି ଅଳଭାଠାରୁ ଗଣ୍ଡାକିଆ ମଧ୍ୟରେ ବହୁ ସ୍ଥାନରେ କେନାଲ ବନ୍ଧକୁ ଲାଗିଥିବା ଅଣ ଓସାରିଆ ଜାଗା ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଗଲାଣି। ଏହି ରାସ୍ତାର ବିଭିନ୍ନ ଚାରିରାସ୍ତା ଛକରେ କେତେଜଣ ବ୍ୟକ୍ତି କେନାଲ ଜାଗାକୁ ଜବରଦଖଲ କରି ସ୍ଥାୟୀ ଘର ନିର୍ମାଣ କରୁଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ଠାରୁ ଭାୟା ନିମପୁର ମଦନପୁର ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ଛକ ମାନଙ୍କରେ ଭିନ୍ନଭିନ୍ନ ଦୋକାନ ଗଢିଉଠୁଛି। ଅପରପାର୍ଶ୍ୱରୁ ଅସୁଥିବା ଗାଡ଼ି ଦେଖା ନ ଯିବାରୁ ଦୁର୍ଘଟଣା ଘଟୁଛି। ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା ପଟ୍ଟାମୁଣ୍ଡାଇ ଭାୟା ବକ୍ତାରପୁର ରାଜନଗର ରାସ୍ତାର ବିଭିନ୍ନ ଛକ ସ୍ଥାନ ମାନଙ୍କରେ ଜବର ଦଖଲ ବଢିବା ଦ୍ୱାରା ବିଭିନ୍ନ ସମୟରେ ରାସ୍ତା ଜାମ ହେଉଛି । ଏହି ଜାମ ବିଶେଷ କରି ସଂଧ୍ୟା ସମୟରେ ଦେଖିବାକୁ ମିଳୁଛି । ସନ୍ଧ୍ୟା ସମୟରେ ରାସ୍ତା ଜାମ ହେବା ନୀତି ଦିନିଆ ଘଟଣା ହୋଇଛି । ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତି ପ୍ରଶାସନକୁ ହାତକରି ସରକାରୀ ଜାଗାରେ ପକ୍କାଘର କରି ଭଡ଼ା ଦେଉଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ଅଂଚଳରେ ଏପରି କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ଜବରଦଖଲ ସମ୍ପର୍କରେ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଅବଗତ ଥାଇ ମଧ୍ୟ ଜବରଦଖଲକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହେଉଛି। ଏଥିନେଇ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ବାରମ୍ବାର ଦାବି କରାଯାଇଥିଲେ ସବୁ ଜାଣି ଚୁପ ରହୁଥିବା କୁହାଯାଉଛି ।ଏନେଇ ଜଳସଂପଦ ବିଭାଗ ଯନ୍ତ୍ରୀ ସୁନିଲ ନାୟକଙ୍କୁ ପଚାରିବାରେ ସେମାନଙ୍କୁ ତାଗିତ କରିବା ସହିତ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଇଛୁ ।
Discover more from
Subscribe to get the latest posts sent to your email.