
କେନ୍ଦ୍ରାପଡ଼ା,୧୭ା୩: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧିନରେ ଫାର୍ମ ପୋଖରୀ ଖୋଳାରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମହେଶପୁର-ଶଙ୍କରପୁର ଗ୍ରାମରେ୨୦୨୩-୨୪ଆର୍ଥିକ ବର୍ଷରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ କୃଷ୍ଣଚନ୍ଦ୍ର ସାହୁ ଏବଂ ନବକିଶୋର ସାହୁଙ୍କ ଫାର୍ମ ପୋଖରୀ ଖୋଳାଯାଇଛି। କିନ୍ତୁ କୃଷ୍ଣଚନ୍ଦ୍ର କିମ୍ବା ନବକିଶୋରଙ୍କ ନିଜସ୍ୱ ଜମିରେ ଏହି ପୋଖରୀ ଖୋଳା ନହୋଇ ଏହା ସରକାରୀ ଜମିରେ ହୋଇଛି। ଯାହା ଆଇନର ପରିସରଭୁକ୍ତ ନୁହେଁ। କାରଣ ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କର ନିଜସ୍ୱ ଜମି ଥିବ ସେହି ସ୍ଥାନରେ ପୋଖରୀ ଖୋଳିବା ପାଇଁ ସରକାରୀ ସହାୟତା ମିଳିପାରିବ। କିନ୍ତୁ ଏଠାରେ ନିୟମ ଉଲ୍ଲଙ୍ଘନ କରାଯାଇ ପ୍ରତ୍ୟେକ ହିତାଧିକାରୀଙ୍କ ନାମରେ ୧ଲକ୍ଷ ୮୩ହଜାର ଟଙ୍କା ମଞ୍ଜୁର କରାଯାଇଛି। ହିତାଧିକାରୀ କୃଷ୍ଣଚନ୍ଦ୍ର ଏବଂ ନବକିଶୋର ଉଭୟ ଖାତା ନମ୍ବର ୬୦ ଓ ପ୍ଲଟ ନମ୍ବର- ୧୧୦ ଉପରେ ଯେଉଁ ପୋଖରୀ ଖୋଳିଛନ୍ତି ସେହି ଜମିଟି ଗ୍ରାମଦେବୀ ମା’ ଅନନ୍ତକୁମାରୀ ଠାକୁରାଣୀଙ୍କ ନାମରେ ରେକର୍ଡ ଭୁକ୍ତ ରହିଛି। ଏହାଛଡା କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାରେ ଖୋଳାଯାଇଥିବା ଏହି ପୋଖରୀ ନିମନ୍ତେ ଶ୍ରମିକ ବଦଳରେ ଜେସିବି ବ୍ୟବହାର କରାଯାଇଛି। ଯାହା ମଧ୍ୟ ନିୟମ ବହିର୍ଭୁତ କାର୍ଯ୍ୟ ବୋଲି ଶ୍ରୀ ମହାନ୍ତି ଅଭିଯୋଗରେ ଦର୍ଶାଇଛନ୍ତି। ଏଥିନିମନ୍ତେ ହିତାଧିକାରୀଙ୍କୁ ମଞ୍ଜୁର ହୋଇଥିବା ଏକ ଲକ୍ଷ ୮୩ହଜାର ଟଙ୍କାରୁ ପ୍ରତ୍ୟେକଙ୍କୁ ଏକଲକ୍ଷ ୧୭ହଜାର ୨୪ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଯାହା ସଂପୂର୍ଣ୍ଣର୍ ଆଇନର ବିରୋଧାଚରଣ କରୁଛି। ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯିବା ପରେ ସେହି ପୋଖରୀର କିଛି ଅଂଶକୁ ନିକଟସ୍ଥ ଜମିରୁ ମାଟି ଉଠାଇ ପୋତି ଦିଆଯାଇଛି। ଏହାବ୍ୟତୀତ ନବକିଶୋର ସାହୁଙ୍କ ପୋଖରୀ ଖୋଳାଯିବା ନିମନ୍ତେ ମଷ୍ଟରରୋଲରେ ଜବକାର୍ଡଧାରୀମାନଙ୍କୁ ୯୫ହଜାର ୪ଶହ ଟଙ୍କା ୨୦୨୪ମସିହା ଫେବୃୟାରୀମାସରୁ ଜୁନମାସ ମଧ୍ୟରେ ବ୍ୟାଙ୍କ ଆକାଉଣ୍ଟମାଧ୍ୟମରେ ପେମେଣ୍ଟ କରାଯାଇଥିବା ଦର୍ଶାଯାଇଛି। କିନ୍ତୁ ଏହି ପୋଖରୀ ଜେସିବି ସାହାଯ୍ୟରେ ଅର୍ଥ ପ୍ରଦାନର ୮ମାସ ପରେ ଖୋଳାଯାଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ନବକିଶୋର ସାହୁ ଏବେ କୁରୁଜଙ୍ଗା ଗ୍ରାମପଞ୍ଚାୟତର ବିଜେଡି ସମର୍ଥିତ ସମିତିସଭ୍ୟ ଅଛନ୍ତି। ପୋଖରୀ ପୋତିଦିଆଯିବା ପରେ ଏବେ ନବକିଶୋରଙ୍କ ପୋଖରୀ ଆଉ ନଥିବା ଦେଖାଯାଇଛି। କିନ୍ତୁ ମୃତ୍ତିକା ସଂରକ୍ଷଣ ବିଭାଗ ମିଥ୍ୟା ମାପ ଓ ପରିମାପ କରି ହିତାଧିକାରୀଙ୍କୁ ମିଛ ବିଲ ମାଧ୍ୟମରେ ଅର୍ଥ ପ୍ରଦାନ କରିଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଅଭିଯୋଗକାରୀ ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀ ଓ କୃଷି ଓ କୃଷକ ଶସକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଅଭିଯୋଗ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି। ଏଣୁ ଏହି ଫାର୍ମ ପୋଖରୀ ଖୋଳାରେ ମହାଦୁର୍ନୀତି ହୋଇଥିବା ନେଇ ଶଙ୍କରପୁର ଗ୍ରାମବାସୀଙ୍କ ପକ୍ଷରୁ ପ୍ରବୋଧ ମହାନ୍ତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ବିଧିବଦ୍ଧ ତଦନ୍ତ ପୂର୍ବକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଶ୍ରୀ ମହାନ୍ତି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।
Discover more from
Subscribe to get the latest posts sent to your email.