
କେନ୍ଦ୍ରାପଡ଼ା,୮ା୩: ୫୧ତମ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରଠାରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ରିମୋଟ୍ ବଟମ୍ ଚିପି ଡିଭିଟି ମାଧ୍ୟମରେ ପ୍ରାୟ ଏକ କୋଟି ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପାଖାପାଖି ୫ହଜାର କୋଟି ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାର ଇଚ୍ଛାପୁରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଆଭାଷୀ ମାଧ୍ୟମରେ ଏହାର ସିଧାପ୍ରସାରଣ କରାଯାଇଥିଲା । ସମାଜର ସାମଗ୍ରିକ ବିକାଶ କ୍ଷେତ୍ରରେ ନାରୀମାନଙ୍କ ଭୂମିକା ମହାନ ଓ ଅନନ୍ୟ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି ଥିଲା ଯାହା ନାରୀ ସଶକ୍ତିକରଣ ପାଇଁ ପ୍ରେରଣାଦାୟୀ ହୋଇଛି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା ସାରା ଭାରତରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ବୋଲି ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖିଥିଲେ । ୨୦୩୬ ମସିହା ସୁଦ୍ଧା ଓଡିଶାକୁ ବିକଶିତ ରାଜ୍ୟ କରିବା ପାଇଁ ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ସଭାରେ ଉପସ୍ଥିତ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସୁଭଦ୍ରା ହିତାଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପ୍ରଦାନ ହେବାକୁ ଥିବା ସୁଭଦ୍ରା ଦ୍ୱିତୀୟ କିସ୍ତି ସମ୍ପର୍କରେ ନିଜ ଅଭିଭାଷଣ ରଖିଥିଲେ । ଉକ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାକାଳପଡା ବିଧାୟକ ଡ. ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଜାନକୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ସୁଭଦ୍ରା ହିତାଧିକାରୀ, ସିଡିପିଓ, ଆଇସିଡିଏସ୍ ସୁପରଭାଇଜର, ବୁଦ୍ଧିଜୀବୀ, ଜନସାଧାରଣ, ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Discover more from
Subscribe to get the latest posts sent to your email.